ହାରିଲା କୋଲକାତା; ଦିଲ୍ଲୀ ବିଜୟୀ

image source:IPL/Twitter

ମୁମ୍ବାଇ,୨୯/୦୪:ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକର ଭାବେ ୪ ୱିକେଟ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ କୋଲକାତା ନବମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଛି। ଚଳିତ ଋତୁରେ ‌କୋଲକାତା ବିପକ୍ଷରେ ଦିଲ୍ଲୀର ଏହା ଲଗାତାର ଦ୍ବିତୀୟ ବିଜୟ ଥିଲା। ଦିଲ୍ଲୀର ଏହି ଯୁଗଳ ବିଜୟରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ଯାଦୁ ଦେଖିବାକୁ ମିଳିଛି। ପ୍ରଥମ ଭଳି ଦ୍ବିତୀୟରେ ମଧ୍ୟ କୁଲଦୀପ ଚାରିଟି ୱିକେଟ୍ ନେଇ ଦିଲ୍ଲୀକୁ ବିଜୟୀ କରାଇଛନ୍ତି। ସେ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।  କୁଲଦୀପ ଯାଦବଙ୍କ ବୋଲିଂ ସଫଳତା ବଳରେ ଗୁରୁବାର କେକେଆର୍‌କୁ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ କରିଛି। ନୀତୀଶ ରାଣାଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ଶ୍ରେୟାସ ଆୟରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍ ୯ ୱିକେଟ ହରାଇ ୧୪୬ ରନ୍‌ କରିଥିଲା। ପରେ ଡେଭିଡ୍‌ ୱାର୍ଣ୍ଣର ଓ ରୋଭ୍‌ମ୍ୟାନ ପୱେଲଙ୍କ ବିସ୍ଫୋରକ ଇନିଂସ ବଳରେ ୬ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ୮ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି ଦିଲ୍ଲୀ। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ୪୪ ରନ୍‌ରେ ଜିତିଥିଲା।୧୪୭ ରନ୍‌ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟ କେକେଆର୍ ପରି ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ମାତ୍ର ୧୭ ରନ୍‌ରେ ଦିଲ୍ଲୀର ୨ଟି ୱିକେଟ ପଡ଼ି ଯାଇଥିଲା। ପୃଥ୍ବୀ ସ’ ଇନିଂସର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। କରୋନାରୁ ସୁସ୍ଥହୋଇ ଏହି ମ୍ୟାଚ୍‌ ଖେଳିଥିବା ଅଷ୍ଟ୍ରେଲୀୟ ମିଚେଲ ମାର୍ଶ ୭ ବଲ୍‌ରୁ ୧୩ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ଲଳିତ ଯାଦବ ଜଗିରଖି ଖେଳିଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୮ ଓଭରରୁ ୬୫ ରନ୍‌ ଯୋଡ଼ିଥିଲେ। ତେବେ ୨ ରନ୍‌ରେ ୩ଟି ୱିକେଟ ନେଇ କେକେଆର୍ ମ୍ୟାଚ୍‌କୁ ଫେରିଥିଲା। ୱାର୍ଣ୍ଣର ୨୬ ବଲ୍‌ରୁ ୮ଟି ଚୌକା ସହ ୪୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଲଳିତ ଯାଦବ ୨୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌ କରି ପାରିଥିଲେ। ପରବର୍ତ୍ତୀ ବଲ୍‌ରେ ଅଧିନାୟକ ଋଷଭ ପନ୍ତ୍ ୨ ରନ୍‌କରି ଆଉଟ୍‌ ହେବା ଦିଲ୍ଲୀ ପାଇଁ ଶକ୍ତ ଧକ୍କା ଥିଲା। ୮୪ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ଅକ୍ଷର ପଟେଲ ଭଲ ବ୍ୟାଟିଂ କରୁଥିଲେ ହେଁ ରନ୍‌ଆଉଟ୍‌ ହୋଇଥିଲେ। ଅକ୍ଷର ୧୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୪ ରନ୍‌ କରିଥିଲେ। ପରେ ରୋଭ୍‌ମ୍ୟାନ୍ ପୱେଲ ଓ ସାର୍ଦୁଳ ଠାକୁର ଦିଲ୍ଲୀକୁ ଜିତାଇଥିଲେ। ପୱେଲ ୧୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୩ ଏବଂ ସାର୍ଦୁଳ ୮ ରନ୍‌ରେ ଅପରାଜିତ ଥିଲେ। ଉମେଶ ଯାଦବ ୩ଟି ୱିକେଟ ନେଇଥିଲେ।ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ କଲକାତା ନାଇଟ୍‌ ରାଇଡର୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୮ମ ଓଭରରେ କେକେଆର୍ ମାତ୍ର ୩୫ ରନ୍‌କରି ୪ଟି ୱିକେଟ ହରାଇଥିଲା। 

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version