ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ,ପହିଲି ଭୋଗ ଅର୍ପଣ କଲେ କନିକାରାଣୀ

ଆରଡି,୧/୩(ଶୁଭ୍ରାଂଶୁ ସୂତାର) : ଆଜି ପବିତ୍ର ମହାଶିବରାତ୍ରି । ଏଥିପାଇଁ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ। ସୋମବାର ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି, ଯୋଗିବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ଵାରା ମନ୍ଦିରଚୂଡାରେ ଲାଗି କରାଯାଇଥିଲା। ତାହା ସହିତ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ, କନିକା ରାଜା ପ୍ରତିନିଧି ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି। ଆଜି ପବିତ୍ର ମହାଶିବରାତ୍ରି। ଚଳଚଞ୍ଚଳ ଶୈବପୀଠ। ଏଥିପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ନୀତି ନିର୍ଘଣ୍ଟ ଅନୁଯାୟୀ ବାବାଙ୍କ ନୀତିକାନ୍ତି ହୋଇଛି।

ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇଛି।ରାତ୍ର ୪ଟା ୩୦ ମିନିଟ୍ ସମୟରେ କନିକା ରାଣୀ ମୃଣାଳିନୀ ଦେବୀ ପରମ୍ପରା ଅନୁଯାୟୀ ପହିଲି ଭୋଗ ଠାକୁରଙ୍କୁ ଅର୍ପଣ କରିଥିଲେ ।

ବଡ଼ପଣ୍ଡା ବାବାଜୀ ପାଢ଼ୀ କନିକା ରାଜ ପରମ୍ପରା ଅନୁଯାୟୀ ପହିଲି ଭୋଗ କରିବା ସହିତ ମଙ୍ଗଳ ଆଳତୀ କରିଥିଲେ । ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିବା ପରେ କନିକାରାଣୀ ବାବା ଆଖଣ୍ଡଳମଣୀଙ୍କ ଆଶୀର୍ବାଦ କାମନା କରିଥିଲେ । ମନ୍ଦିର ବେଢ଼ା ପରିକ୍ରମା କରି ପୂଜାର୍ଚ୍ଚନା କରିଥିଲେ । କନିକା ଦେବୋତ୍ତର ମ୍ୟାନେଜର ମାୟାଧର ବାରିକଙ୍କ ସହିତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ପରମ୍ପରା ଅନୁଯାୟୀ, କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଲାଗି କରାଯାଇଥିଲା। ପରେ ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି କରାଯାଇଛି। ଏବେ ଶୃଙ୍ଖଳାର ସହ ସାଧାରଣ ଦର୍ଶନ ଚାଲିଛି। ଆଜି ମହାଶିବରାତ୍ରୀ ନୀତି ନିମନ୍ତେ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ।

https://kalingakhabar.in/wp-content/uploads/2022/03/WhatsApp-Video-2022-03-01-at-10.29.15-AM.mp4

Exit mobile version