
ପୁରୀ, ୪/୩: କୋଣାର୍କ – ପୁରୀ ମେରାଇନ ଡ୍ରାଇଭ ସମସ୍ତଙ୍କ ପ୍ରିୟ ସ୍ଥାନ । ଯିଏ କେହି ବି କୋଣାର୍କ ବା ପୁରୀ ବୁଲିବାକୁ ଆସନ୍ତି ଏହି ମେରାଇନ ଡ୍ରାଇଭ ଦେଖିବାକୁ ନିଶ୍ଚୟ ଆସନ୍ତି । ଚନ୍ଦ୍ରଭାଗା ଠାରୁ ମାଁ ରାମଚଣ୍ଡୀଙ୍କ ମନ୍ଦିର ପର୍ଯ୍ୟନ୍ତ ବ୍ୟାପ୍ତ ଆଞ୍ଚଳ ପର୍ଯ୍ୟଟକ ମାନଙ୍କ ମନ ଚୋରି କରିଥାଏ । ମାଁ ରାମଚଣ୍ଡୀଙ୍କ ମନ୍ଦିର ବହୁ ପ୍ରାଚୀନ ଓ ଐତିହ ସମ୍ପର୍ଣ । ଐତିହାସିକ ମତାନୁସାରେ ଏହି ଅଞ୍ଚଳ ଦିନେ କଳିଙ୍ଗ ର ମୁଖଶାଳା ଥିଲା । ଏହି ଅଞ୍ଚଳରେ କଳିଙ୍ଗର ବିଶ୍ଵ ବିଖ୍ୟାତ କନ୍ନଗର ବନ୍ଦର ଅବସ୍ଥିତ ଥିଲା । ଆଜିର ଭୁଆଁ ଗାଁ ନିକଟରେ ଥିଲା ଏହି ବହୁ ପୁରାତନ ବନ୍ଦର । ଏହି ଠାରୁ ଓଡିଆ ସାତ ସମୁଦ୍ର ଲଙ୍ଘି ଯାଉଥିଲା ବାଣିଜ୍ୟ କରିବାକୁ ସୁଦୂର ପାରସ୍ୟ, ଆରବ, ବାଲି ଦ୍ଵୀପ, ଜାଭା ଓ ସୁମାତ୍ରା ଇତ୍ୟାଦି । କେବଳ ଯେ ଓଡିଆ ମାନେ ବାଣିଜ୍ୟ କରିବାକୁ ଯାଉଥିଲେ ତାହା ନୁହେଁ ବହୁ ବିଦେଶୀ ଚୀନ, ଇରାନ ଓ ଅନ୍ୟାନ୍ୟ ଦେଶ ମାନଙ୍କରୁ ଏଠାକୁ ବାଣିଜ୍ୟ କରିବାକୁ ଆସୁଥିଲେ ।
ଏବେ ଯେଉଁ ଠାରେ ପର୍ଯ୍ୟଟନ ବିଭାଗ ତରଫରୁ ଇକୋ ରିଟ୍ରିଟ ହେଉଅଛି ସେହି ସ୍ଥାନ ସନ୍ନିକଟ ଖାଲକଟାପାଟଣା ଅଞ୍ଚଳରେ ବହୁ ପୁରାତନ କନ୍ନଗର (ଆଜିର କୋଣାର୍କ) ବନ୍ଦର ର ଅବସ୍ଥିତି ଥିଲା । ଖାଲକଟାପାଟଣା କୁଶଭଦ୍ରା ନଦୀର ବାମପାର୍ଶ୍ୱରେ ଅବସ୍ଥିତ ଏବଂ ଗଙ୍ଗ ରାଜବଂଶର ଏକ ବନ୍ଦର ସହର ଥିଲା (ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଏବଂ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ) । ଖାଲକଟାପାଟଣାରେ ୧୯୮୪ – ୧୯୮୫ ମଧ୍ୟରେ ଖନନ ହୋଇଥିଲା ଓ ଏକ ଇଟା ଜେଲି ଚଟାଣ ଦେଖିବାକୁ ମିଳିଥିଲା, ଯାହା ହୁଏତ ଏକ ଲୋଡିଂ ଏବଂ ଅନଲୋଡିଂ ପ୍ଲାଟଫର୍ମ ଭାବରେ ଉକ୍ତ ବନ୍ଦରରେ କାର୍ଯ୍ୟ କରିଥଲା । ଏଠାରେ ଜାଣିରଖିବା ଉଚିତ ଯେ ସଂସ୍କୃତରେ ବନ୍ଦର କୁ ପତ୍ତନ କୁହାଯାଏ ଓ ଓଡିଆରେ ଅପଭ୍ରଂଶ ହୋଇ ଏହା ପାଟଣା ହୋଇଯାଇଛି । ପରବର୍ତ୍ତୀ କାଳରେ ନଦୀରେ ଆସୁଥିବା ପଟୁ ମାଟି ଏହି ବନ୍ଦରକୁ କାଳକ୍ରମେ ପୋତି ଦେଇଥିଲା ତଥା ବିଭିନ୍ନ ସମୟରେ ବାରମ୍ବାର ବାତ୍ୟା, ସୁନାମୀ ଓ ପ୍ରାକୃତିକ ଦୁର୍ବିପାକ ହେତୁ ଏହି ବନ୍ଦର ଅଚଳ ହୋଇଯାଇଥିବାର ଅନୁମାନ କରାଯାଏ । ବର୍ତ୍ତମାନ, ଏହି ବେଳାଭୂମି ସମଗ୍ର ଓଡିଶାର ସବୁଠାରୁ ଶାନ୍ତ ଏବଂ ନିରୋଳା ବେଳାଭୂମି ମଧ୍ୟରୁ ଅନ୍ୟତମ । ଯଦି ଆପଣ ଏକାକୀ ବେଳାଭୂମିରେ ସମୟ ବିତାଇବାକୁ ଚାହୁଁଛନ୍ତି ତେବେ ଏହା ସର୍ବୋତ୍ତମ ଗନ୍ତବ୍ୟସ୍ଥଳ | freeslots dinogame telegram营销