ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଲେ ରାଷ୍ଟ୍ରପତି

ପୁରୀ,୧୯/୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି। ରାଜଭବନରୁ ସନ୍ଧ୍ୟା ପ୍ରାୟ ୪ଟା ୫୦ରେ କଡ଼ା ସୁରକ୍ଷା ଭିତରେ ବାହାରି ସେ ୧୦ ମିନିଟ ପରେ ସିଂହଦ୍ବାରରେ ପହଞ୍ଚିଥିଲେ। ସିଂହଦ୍ବାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେବାୟତମାନେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଛୋଟି ନେଇଥିଲେ।

WhatsApp Image 2022 02 19 at 8.24.50 PM

ଶେଷରେ ରାଷ୍ଟ୍ରପତି ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହିତ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱୋଳ ହୋଇପଡ଼ିଥିଲେ । ଦର୍ଶନ ଶେଷ କରି ଶ୍ରୀମନ୍ଦିର ସମ୍ମୁଖରେ ପୁର୍ନବାର ଶ୍ରୀମନ୍ଦିରକୁ ଚାହିଁ ପ୍ରଣାମ ଜଣାଇଥିଲେ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍ କୁମାର ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କର ଏକ ଫଟୋ ଚିତ୍ର ଉପହାର ପ୍ରଦାନ କରିଥିଲେ । ପୁରୀ ଜିଲାପାଳ ସମର୍ଥ ବର୍ମା, ସେବାୟତଙ୍କ ସହିତ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲା ଏବଂ ଉଚ୍ଚ ପ୍ରଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାଷ୍ଟ୍ରପତି ରାମାନଥ କୋବିନ୍ଦଙ୍କ ଶ୍ରୀମନ୍ଦିର ଗସ୍ତ ଓ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।

Exit mobile version